ୟୁଜି ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ:(ଵ୍ୟୁରୋ ରିପୋର୍ଟ୍) ଭାରତୀୟ ଉଚ୍ଚ ଶିକ୍ଷା, ବିଶେଷ କରି ଅଣ୍ଡର ଗ୍ରାଜୁଏଟ୍ (ୟୁଜି) ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ସ୍ନାତକ ପାଠ୍ୟକ୍ରମରେ ଭାଷା ବାଧକ ହେବ ନାହିଁ । ଶିକ୍ଷାର୍ଥୀମାନେ ମାତୃଭାଷାରେ ଗ୍ରାଜୁଏସନ୍ କରିପାରିବେ । ଏଥିପାଇଁ ବିଏ, ବିକମ୍ ଓ ବିଏସ୍ସିର ସବୁ ବହି ଓଡ଼ିଆ, ବଙ୍ଗଳା, ଗୁଜୁରାଟୀ, କନ୍ନଡ଼, ମଲୟାଲମ, ମରାଠୀ, ତମିଲ, ତେଲୁଗୁ ଆଦି ଆଞ୍ଚଳିକ ଭାଷାରେ ପ୍ରକାଶ କରାଯିବା ବ୍ୟବସ୍ଥା ହେଉଛି । ସ୍ନାତକ ସ୍ତରରେ ଏହି ପଦକ୍ଷେପ ପୂର୍ଣ୍ଣାଙ୍ଗ ହେବା ପରେ ସ୍ନାତକୋତ୍ତର (ପିଜି)ସ୍ତରରେ ଅନୁରୂପ ବ୍ୟବସ୍ଥା ହେବ ।
ସ୍ୱାଧୀନ ଭାରତର ତୃତୀୟ ରାଷ୍ଟ୍ରୀୟ ଶିକ୍ଷାନୀତି (ଏନ୍ଇପି ୨ଠ୨ଠ) ଅନୁଯାୟୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ନାତକ ଶ୍ରେଣୀଗୁଡ଼ିକ ପାଇଁ ଉଦ୍ଦିଷ୍ଟ ସବୁଠୁ ଲୋକପ୍ରିୟ ଇଂରାଜୀ ପାଠ୍ୟପୁସ୍ତକଗୁଡ଼ିକୁ ବିଭିନ୍ନ ଭାରତୀୟ ଭାଷାରେ ଛାପିବା ପାଇଁ ପ୍ରମୁଖ ଭାରତୀୟ ପ୍ରକାଶକମାନଙ୍କ ସହ ଆଲୋଚନା କରିଛନ୍ତି । ସମ୍ପୃକ୍ତ ପ୍ରକାଶକମାନେ ହେଲେ ପିୟର୍ସନ ଇଣ୍ଡିଆ, ନରୋସା ପବ୍ଲିଶର୍ସ, ୱାଇୱା ବୁକ୍ସ, ସାଇଟେକ୍ ପବ୍ଲିକେଶନ୍ସ, ଏସ୍ ଚାନ୍ଦ ପବ୍ଲିଶର୍ସ, ବିକାଶ ପବ୍ଲିଶିଙ୍ଗ୍, ନୁ୍ୟ ଏଜ୍ ପବ୍ଲିଶର୍ସ, ମହାବୀର ପବ୍ଲିକେଶନ୍ସ, ୟୁନିଭର୍ସିଟିଜ୍ ପ୍ରେସ୍ ଓ ଟାକ୍ସମ୍ୟାନ୍ସ ପବ୍ଲିକେଶନ୍ସ । ଏସବୁ ପ୍ରକାଶନ ସଂସ୍ଥା ବାଦ୍ ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ୍, ଓରିଏଣ୍ଟ ବ୍ଲାକ୍ସ୍ୱାନ ଓ ଏଲ୍ସେଭିୟର ପ୍ରତିନିଧିମାନେ ୟୁଜିସି ସହ ଉଚ୍ଚସ୍ତରୀୟ ବୈଠକରେ ଭାଗ ନେଇଥିଲେ । ୟୁଜିସି କର୍ତ୍ତୃପକ୍ଷ କେତେକ ଅନ୍ତର୍ରାଷ୍ଟୀୟ ପ୍ରକାଶନ ସଂସ୍ଥା ଯଥା ଉଇଲ୍ ଇଣ୍ଡିଆ, ସ୍ପି୍ରଙ୍ଗର୍ ନେଚର, ଟେଲର ଆଣ୍ଡ୍ ଫ୍ରାନ୍ସିସ୍, କେମ୍ବ୍ରିଜ୍ ୟୁନିଭରସିଟି ପ୍ରେସ୍ ଇଣ୍ଡିଆ, ସେଙ୍ଗେଜ୍ ଇଣ୍ଡିଆ ଓ ମେକଗ୍ରା-ହିଲ୍ ଇଣ୍ଡିଆ ସହ ଆଲୋଚନା ଜାରି ରଖିଛନ୍ତି ।
ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦୀଶ କୁମାର କହିଛନ୍ତି, ୟୁଜିସି ଏକ ନୋଡାଲ୍ ଏଜେନ୍ସି ରୂପେ କାମ କରି ପ୍ରକାଶକମାନଙ୍କୁ ପାଠ୍ୟପୁସ୍ତକ ଚୟନ, ଅନୁବାଦ ଉପକରଣ ଓ ସମ୍ପାଦନ ପାଇଁ ବିଶେଷଜ୍ଞ ସମ୍ବନ୍ଧୀୟ ସବୁ ସହାୟତା ପ୍ରଦାନ କରିବ ଯଦ୍ୱାରା ପାଠ୍ୟପୁସ୍ତକ ଗୁଡ଼ିକ ଡିଜିଟାଲ ରୂପରେ ଶସ୍ତାରେ ଉପଲବ୍ଧ ହୋଇପାରିବ । ଏଦିଗରେ ୟୁଜିସି ଦୁଇଟି ଟ୍ରାକ୍ରେ କାମ କରୁଛି । ପ୍ରଥମତଃ ବିଏ, ବିଏସ୍ସି ଓ ବିକମ୍ ଶ୍ରେଣୀ ପାଇଁ ଚଳୁଥିବା ଲୋକପ୍ରିୟ ପାଠ୍ୟପୁସ୍ତକଗୁଡ଼ିକୁ ବଛାଯିବ । ଦ୍ୱିତୀୟତଃ ସେଗୁଡ଼ିକର ଭାରତୀୟ ଭାଷାନ୍ତର କରାଯିବ । ଏହା ସହିତ ଭାରତୀୟ ଲେଖକମାନଙ୍କୁ ଅଣପ୍ରଯୁକ୍ତି ବିଷୟ ଗୁଡ଼ିକ ପାଇଁ ଭାରତୀୟ ଭାଷାରେ ପାଠ୍ୟପୁସ୍ତକ ରଚନା ଲାଗି ପ୍ରୋତ୍ସାହିତ କରାଯିବ ।
ଆଗାମୀ ୬ରୁ ୧୨ ମାସ ଭିତରେ ଅନେକ ପାଠ୍ୟପୁସ୍ତକ ପୂର୍ବୋକ୍ତ ୧୨ ଭାରତୀୟ ଭାଷାରେ ଅନୂଦିତ ହେବ ବୋଲି ୟୁଜିସି ଆଶା ପ୍ରକାଶ କରିଛି । ପ୍ରକାଶକମାନଙ୍କ ପ୍ରତିନିଧିମାନେ ଏହି ରାଷ୍ଟ୍ରୀୟ ମିଶନରେ ଭାଗୀଦାର ହେବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି ।