ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କଟକ:(କାଞ୍ଚନଟିଭି ବ୍ୟୁରୋ) ପୁଲିସ ହେପାଜତରେ ୨୦୧୦ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତ୍ୟୁ ପୂର୍ବରୁ ସିଆରପିଏଫ ଓ ଓଡ଼ିଶା ପୁଲିସ ହେପାଜତରେ ପୀଡିତ ଥିବାରୁ ଉଭୟ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ବାବଦରେ ପ୍ରଦାନ କରିବେ। ୮ ସପ୍ତାହ ଭିତରେ ମୃତ ବ୍ୟକ୍ତିଙ୍କ ପତ୍ନୀ ତଥା ଆବେଦନକାରୀ ମାରିଆ କାଡାଇସ୍‌ମା ଓରଫ କାଡାଇସ୍‌କାଙ୍କୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ଯଦି ଏଥିରେ ବିଳମ୍ବ ହୁଏ ତେବେ ୬ ପ୍ରତିଶତ ସୁଧ ସହିତ କ୍ଷତିପୂରଣ ରାଶି ଆବେଦନକାରୀଙ୍କୁ ପ୍ରଦାନ କରାଯିବ।

୯ ସପ୍ତାହ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ସତ୍ୟପାଠ ହାଇକୋର୍ଟରେ ଦାଖଲ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଯଦି ଏଥିରେ ଅବହେଳା କରାଯାଏ ତେବେ ଉପଯୁକ୍ତ ନିର୍ଦ୍ଦେଶ ପାଇଁ ଏହି ପ୍ରସଂଗରେ ରେଜିଷ୍ଟ୍ରି ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏହି ମାମଲାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ସିଆରପିଏଫ ଓ ପୁଲିସକୁ ସାହଯ୍ୟ କରିବାକୁ ଉଦ୍ୟମ କରି ମେଡିକାଲ ପ୍ରାକ୍ଟିସନର ସନ୍ଦେହଜନକ ମେଡିକାଲ ରିପୋର୍ଟ ଦାଖଲ କରିବା ଦୁର୍ଭାଗ୍ୟର ବିଷୟ ବୋଲି ହାଇକୋର୍ଟ କହିଛନ୍ତି। ଡାକ୍ତରଙ୍କ ଏପରି ଆଚରଣର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଏହି ରାୟର କପି ସିଆରପିଏଫ ଡିଜି ଓ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାରିଆ କାଡାଇସ୍‌ମା ଓରଫ କାଡାଇସ୍‌କାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Spread the love
CATEGORIES
Share This

COMMENTS

Wordpress (0)
Disqus ( )
error: Content is protected !!