ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ରାସ୍ତାରୋକ

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ରାସ୍ତାରୋକ

ନିମାପଡ଼ା(କାଞ୍ଚନଟିଭି ବ୍ୟୁରୋରିପୋର୍ଟ୍): ବହୁଚର୍ଚ୍ଚିତ ପୁରୀ ଜିଲ୍ଲାର ଗୋପ ବ୍ଲକ୍ ୧୧ନମ୍ବର ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହାରି ମଧ୍ୟରେ ବିଜେପି ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହିଁ । ତାଙ୍କ ଆତ୍ମହତ୍ୟା ଲାଗି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସିଧାସଳଖ ସମ୍ପୃକ୍ତ ରହିଥିବା ନେଇ ଅଭିଯୋଗ କରିଛନ୍ତି । ତତ୍ସହିତ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟାରେ ସମୀରଙ୍କ ଜଡ଼ିତ ଥିବା ବିଜେପିର ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ଦାବି କରିଛନ୍ତି ।

ଅନ୍ୟପକ୍ଷରେ ପୁଲିସର ତଦନ୍ତଙ୍କୁ ନେଇ ପ୍ରଶ୍ନ କରିଛନ୍ତି ପ୍ରଭାତୀ । ସେ କହିଛନ୍ତି ଯେ, ମାତ୍ର ତାଙ୍କ ଘରଠାରୁ ଅନତି ଦୂରରେ ମୋବାଇଲ୍ ମିଳିବା ଘଟଣା ଯେତିକି ସନେ୍ଦହ ଘନୀଭୂତ କରିଥିଲା, ତା’ଠାରୁ ଅଧିକ ମୋବାଇଲ୍ ଦୁଇଟି ଉଦ୍ଧାର ହେବା ପରେ ତାଙ୍କ ଫେସ୍ବୁକ୍ ଆକାଉଣ୍ଟରୁ ଆପେ ଆପେ ତଥ୍ୟ ଉଭାନ ହୋଇଯିବା ଆହୁରି ଅନେକ ସନେ୍ଦହ ଦୃଢ଼ୀଭୂତ କରିଛି । ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ନିଜ କ୍ଷମତାର ଅପବ୍ୟବହାର କରି ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରୁଛନ୍ତି । ମାତ୍ର ସତ କଥା କେବେ ଲୁଚି ରହିବ ନାହିଁ । ସେହିପରି ଧର୍ମେନ୍ଦ୍ର ତାଙ୍କ ବନ୍ଧୁଙ୍କ ସହ ବାର୍ତ୍ତାଳପ ହୋଇଥିବା ଅଡିଓରୁ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ହୋଇଛି । ତେଣୁ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଡି ବସିଛନ୍ତି ପ୍ରଭାତୀ ।

ଏନେଇ ମଙ୍ଗଳବାର ପୂର୍ବାହ୍ନରେ ନିମାପଡ଼ା ଦୋଳବେଦୀ ଛକଠାରେ ବିଜେପି ପକ୍ଷରୁ ଘଣ୍ଟିକିଆ ରାସ୍ତାରୋକ କରାଯାଇଥିଲା । ତତ୍ସହିତ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ନାରାବାଜି ଦେବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀଙ୍କ ମଧ୍ୟ କୁଶପୁତ୍ତଳିକା ଦାହ କରିଥିଲେ । ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ବଜେପି ଉପସଭାନେତ୍ରୀ ଶ୍ରୀମତୀ ପରିଡା ସ୍ପଷ୍ଟ କରିଛନ୍ତି । ଏହି ବିକ୍ଷୋଭରେ ବିଜେପିର ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଦିଲ୍ଲୀପ ପାତ୍ର, ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, କାଉନ୍ସିଲର ନିରଞ୍ଜନ ନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଶତାଧିକ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।

Spread the love
CATEGORIES
Share This

COMMENTS

Wordpress (0)
Disqus (0 )
error: Content is protected !!