ଏଣିକି ଗୋଟିଏ ଆପ୍‌ରେ କରିପାରିବେ ସବୁ ସାଇଟ୍‌ରୁ ସପିଂ

ଏଣିକି ଗୋଟିଏ ଆପ୍‌ରେ କରିପାରିବେ ସବୁ ସାଇଟ୍‌ରୁ ସପିଂ

ଆମାଜନ୍‌, ଫ୍ଲିପ୍‌କାର୍ଟ ଭଳି ବିଦେଶୀ କମ୍ପାନୀର ଜୁଲମରୁ ଦେଶର ଗ୍ରାହକଙ୍କୁ ମୁକୁଳାଇବା ସହ ଖୁଚୁରା ଦୋକାନୀଙ୍କ ସମେତ ଦେଶୀୟ ଦୋକାନୀ ତଥା ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେବାକୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ବିଟା ଟେଷ୍ଟ। ସରକାରଙ୍କ ନିଜସ୍ୱ ଷ୍ଟାର୍ଟ ଅପ୍‌ ଓଏନ୍‌ଡିସି ବା ଓପନ ନେଟଓ୍ଵାର୍କ ଫର ଡିଜିଟାଲ କମର୍ସର ବିଟା ଟେଷ୍ଟ ଚାଲିଛି। ବେଙ୍ଗାଲୁରୁର ୧୬ଟି ପିନ୍‌କୋଡ୍‌ରେ ଗ୍ରାହକଙ୍କ ଅନଲାଇନ ଅର୍ଡରକୁ ପରିଚାଳନା କରି ନିଜର ପରୀକ୍ଷଣ କରୁଛି ଏହି ଷ୍ଟାର୍ଟ ଅପ୍‌। ଅନ୍‌ଲାଇନରେ କିଣିବା ପାଇଁ ଗ୍ରାହକମାନେ ପେଟିଏମ୍‌, ସ୍ପାଇସମନି ଓ ମାଇଷ୍ଟୋର ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି। ବିଟା ଟେଷ୍ଟରେ ଏହି ତିନିଟି ପ୍ଲାଟଫର୍ମକୁ ଯୋଡ଼ାଯାଇଛି। ଠିକ୍‌ ସେହିପରି ବିକ୍ରେତା ହିସାବରେ ଓଏନ୍‌ଡିସି ସହ ଯୋଡ଼ି ହୋଇଛନ୍ତି ବିଜୋମ୍‌, ଡିଜିଟ୍‌, ଇ-ସମୁଦାୟ, ଇଭାଇଟାଲଆରଏକ୍ସ, ଗୋ ଫ୍ରୁଗାଲ, ଗ୍ରୋଥ୍‌ ଫାଲକନ୍ସ, ଇନୋବିଟ୍‌ସ୍‌ ମାଇଷ୍ଟୋର, ଏନ୍‌ଷ୍ଟୋର, ସେଲରଆପ୍‌, ୟୁସପ୍‌ ଓ ୟୁଏନଗେଜ୍‌ ଭଳି ଅନ୍‌ଲାଇନ ବିକ୍ରେତା।
ବର୍ତ୍ତମାନ ଏହି ଓଏନ୍‌ଡିସିକୁ ଭଲ କରି ବୁଝି ନଥିବା ଲୋକଙ୍କ ମନରେ କିଛିଟା ପ୍ରଶ୍ନ ଆସୁଥାଇପାରେ। ତେଣୁ ପ୍ରଥମେ ଓଏନ୍‌ଡିସି କ’ଣ ତାହାକୁ ବୁଝିନେବା। ଏଥିପାଇଁ ଏକ ଉପଯୁକ୍ତ ଉଦାହରଣ ହେଉଛି ଫୋନପେ, ଗୁଗୁଲ ପେ, ପେଟିଏମ୍‌ ଓ ଭିମ୍‌ ୟୁପିଆଇ। ଏବେ ଅଧିକାଂଶ ଲୋକ ନିଜ ସାଙ୍ଗରେ ଟଙ୍କା ନେଇ ଯାଉନାହାନ୍ତି। ଯଦି ସେମାନେ କୌଣସି ଦୋକାନରୁ କିଛି କିଣୁଛନ୍ତି ତେବେ ସେମାନଙ୍କ ମୋବାଇଲରେ ଥିବା ଫୋନ ପେ, ଗୁଗୁଲ ପେ ଆଦି ଆପ୍‌ ଜରିଆରେ ପେମେଣ୍ଟ କରୁଛନ୍ତି। ଏହି ଫୋନ୍‌ ପେ ଓ ଗୁଗୁଲ ପେ ଆପ୍‌ ସହ ପ୍ରଥମେ ଜଣେ ବ୍ୟକ୍ତି ନିଜ ବ୍ୟାଙ୍କ ଆକାଉଣ୍ଟକୁ ଯୋଡିଥାଏ। ଠିକ୍‌ ସେହିପରି ଦୋକାନୀ ମଧ୍ୟ ନିଜର ମୋବାଇଲ ସହ ବ୍ୟାଙ୍କ ଆକାଉଣ୍ଟକୁ ଯୋଡ଼ିଥାନ୍ତି। ନିଜ ମୋବାଇଲ ନମ୍ବର ସହ ଯୋଡ଼ିହୋଇଥିବା ବ୍ୟାଙ୍କ ଆକାଉଣ୍ଟ ପାଇଁ ଏକ କ୍ୟୁଆର କୋଡ୍‌ ବା କୁଇକ୍‌ ରେସ୍ପନ୍ସ କୋଡ୍‌ ଦୋକାନ ଆଗରେ ଲଗାଇଥାନ୍ତି। ଯେତେବେଳେ ଗ୍ରାହକଙ୍କୁ ଟଙ୍କା ଦେବାକୁ ପଡ଼େ ସେତେବେଳେ ସେମାନେ ଏହି କୋଡ୍‌କୁ ସ୍କାନ କରି ଦୋକାନୀକୁ ପେମେଣ୍ଟ ଦିଅନ୍ତି। ଯଦି ଆପଣଙ୍କ ମୋବାଇଲରେ ୟୁପିଆଇକୁ ବ୍ୟବହାର କରୁଥିବା ଆପ୍‌ ଅଛି ତେବେ ଆପଣ କୌଣସି ବି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇପାରିବେ।

ଯେପରି ଟଙ୍କା କାରବାର ପାଇଁ ଦେଶରେ ଗୋଟିଏ ବ୍ୟବସ୍ଥା ‘ୟୁପିଆଇ’ ଲାଗୁହୋଇଛି। ଠିକ୍‌ ସେହିପରି ଅନଲାଇନ କିଣାବିକା ପାଇଁ ସରକାର ଗୋଟିଏ ମାଧ୍ୟମ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ତାହା ହେଉଛି ଓଏନ୍‌ଡିସି। ଏହି ବ୍ୟବସ୍ଥା ଯଦି ସଫଳ ଭାବେ ନିଜର ପରୀକ୍ଷଣ ସମାପ୍ତ କରେ ତେବେ ଲୋକଙ୍କୁ ଅନଲାଇନରେ ଜିନିଷ କିଣିବା ପାଇଁ ଅଲଗା ଅଲଗା ଇ-କମର୍ସ ପ୍ଲାଟଫର୍ମକୁ ଯିବାକୁ ପଡ଼ିବ ନାହିଁ।

ଏହାକୁ ଆଉ ଟିକେ ସରଳ ଭାବରେ ବୁଝିବାକୁ ପଡ଼ିବ। ସେଥିପାଇଁ ଏକ ଉଦାହରଣ ନେବା। ମନେକରନ୍ତୁ ଆପଣ ଅନ୍‌ଲାଇନରେ ଏକ ଲିପଷ୍ଟିକ୍‌ କିଣିବାକୁ ଚାହୁଁଛନ୍ତି। ତେବେ ପ୍ରଥମେ ହୁଏତ ଆପଣ ଆମାଜନ୍‌କୁ ଯିବେ ଆଉ ସେଠାରେ ଥିବା ବିଭିନ୍ନ ପ୍ରଡକ୍ଟକୁ ଦେଖିବେ। ଯଦି ସେଠାରେ ଆପଣ ଚାହୁଁଥିବା ଲିପ୍‌ଷ୍ଟିକ୍‌ ବା ପ୍ରଡକ୍ଟଟି ନାହିଁ ବା ପସନ୍ଦ ହେଲା ନାହିଁ, ତେବେ ଆପଣ ଅନ୍ୟ ଏକ ପ୍ଲାଟଫର୍ମ ଯଥା-ଫ୍ଲିପ୍‌କାର୍ଟ, ମିନ୍ତ୍ରା ଭଳି ୱେବ୍‌ସାଇଟ୍‌କୁ ଯାଇ ପ୍ରଡକ୍ଟଟିକୁ ଖୋଜିବେ ଏବଂ ଯେଉଁ ୱେବ୍‌ସାଇଟ୍‌ରେ ପସନ୍ଦ ହେବ ସେହିଠାରୁ କିଣିବା ପାଇଁ ସେହି ୱେବ୍‌ସାଇଟ୍‌ରେ ଏକ ଆକାଉଣ୍ଟ ଖୋଲି ଅର୍ଡର ଦେବେ।

ଯଦି ଆପଣ ଏକାଧିକ ଜିନିଷ ଅନଲାଇନରୁ କିଣିବାକୁ ଚାହୁଁଛନ୍ତି ଓ ଆପଣଙ୍କ ପସନ୍ଦର ଜିନିଷଗୁଡ଼ିକ ମଧ୍ୟରୁ ଗୋଟିଏ ଫ୍ଲିପ୍‌କାର୍ଟରେ, ଅନ୍ୟଟି ଆମାଜନରେ ଓ ଆଉ ଗୋଟିଏ ମିନ୍ତ୍ରା ୱେବ୍‌ସାଇଟ୍‌ରେ ରହିଛି। ତେବେ ଆପଣଙ୍କୁ ଏ ତିନିଟି ଯାକ ଅନ୍‌ଲାଇନ ୱେବ୍‌ସାଇଟ୍‌ରେ ଆକାଉଣ୍ଟ ଖୋଲି ଅଲଗା ଅଲଗା ଭାବେ ଅର୍ଡର ଦେବାକୁ ପଡ଼ିବ। ଆଉ ଏହି ସମସ୍ୟାର ସମାଧାନ କରିବ ଓଏନ୍‌ଡିସି। ଯଦି ଓଏନ୍‌ଡିସି ଆସେ ତେବେ ଆଉ ଆପଣଙ୍କୁ ଜିନିଷ ଅର୍ଡର ଦେବାକୁ ଅଲଗା ଅଲଗା ୱେବ୍‌ସାଇଟ୍‌କୁ ଯିବାକୁ ପଡ଼ିବ ନାହିଁ। ସରକାର ତିଆରି କରୁଥିବା ଏହି ଓଏନ୍‌ଡିସି ପ୍ଲାଟଫର୍ମ ଗୋଟିଏ ମୋବାଇଲ ଆପ୍ଲିକେସନର ଆପଣ ଖୋଜୁଥିବା ପ୍ରଡକ୍ଟଟି ଭିନ୍ନ ଭିନ୍ନ ଅନ୍‌ଲାଇନ ବିକ୍ରେତାଙ୍କଠୁ(ଆମାଜନ, ଫ୍ଲିପ୍‌କାର୍ଟ, ମିନ୍ତ୍ରା) ଆଣି ଗୋଟିଏ ସ୍ଥାନରେ ଦେଖାଇବ। ଫଳରେ ଆପଣ ସେହି ପ୍ରଡକ୍ଟକୁ ଗୋଟିଏ ଜାଗାରେ ତୁଳନା କରିବା ସହ ଆପଣଙ୍କ ପସନ୍ଦର ପ୍ରଡକ୍ଟକୁ କିଣିପାରିବେ। ଆଉ ଏଥିପାଇଁ ଅଲଗା ଅଲଗା ୱେବ୍‌ସାଇଟ୍‌କୁ ଯିବାକୁ ପଡ଼ିବ ନାହିଁ କି ସେଠାରେ ଗୋଟିଏ ଗୋଟିଏ ଆକାଉଣ୍ଟ ଖୋଲିବାକୁ ପଡ଼ିବ ନାହିଁ। ଏହି ବ୍ୟବସ୍ଥା ଦ୍ୱାରା ଜଣେ ଗ୍ରାହକ ଗୋଟିଏ ମୋବାଇଲ ଆପ୍‌ ଜରିଆରେ ବିଭିନ୍ନ ସେଲର, ପ୍ରଡକ୍ଟ ଓ ସେବାକୁ ପାଇପାରିବେ।

ଇଏ ତ ଗଲା ଗୋଟିଏ ଦିଗ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଗତ କିଛିବର୍ଷ ମଧ୍ୟରେ ବର୍ତ୍ତମାନର ତଥାକଥିତ ଇ-କମର୍ସ କମ୍ପାନୀଗୁଡ଼ିକ ଧନୀ ହେବାରେ ଲାଗିଛନ୍ତି। ନିଜ ପ୍ଲାଟଫର୍ମ ଜରିଆରେ ବିଭିନ୍ନ ମାର୍କେଟିଂ କୌଶଳ ଅବଲମ୍ବନ କରି ବହୁ ସଂଖ୍ୟାର ଗ୍ରାହକମାନଙ୍କୁ ଆକୃଷ୍ଟ କରି ସେମାନଙ୍କର କିଣିବାର ଅଭ୍ୟାସ ଓ ଚାହିଦାକୁ ରେକର୍ଡ କରୁଛନ୍ତି। ପରବର୍ତ୍ତୀ ସମୟରେ ଯେଉଁ ଦ୍ରବ୍ୟର ଚାହିଦା ଯେଉଁ ଅଞ୍ଚଳରେ ଅଧିକ ରହୁଛି ସେଠାରେ ଏହି କମ୍ପାନୀମାନେ ସେହି ଉତ୍ପାଦର ନିଜସ୍ୱ ଷ୍ଟୋର ଖୋଲି ସେହି ଗ୍ରାହକମାନଙ୍କୁ ଟାର୍ଗେଟ କରୁଛନ୍ତି। ଫଳରେ ଅଧିକ ଚାହିଦା ଥିବା ପ୍ରଡକ୍ଟର ବ୍ୟବସାୟରେ ଏହି ବଡ଼ ବଡ଼ କମ୍ପାନୀମାନେ ସିଧାସଳଖ ସାମିଲ ହୋଇଯାଉଛନ୍ତି। ଏହାଦ୍ୱାରା ସେହି ଆଞ୍ଚଳିକ କମ୍ପାନୀ ଓ ବ୍ୟବସାୟୀ ଧୀରେ ଧୀରେ ଧରାଶାୟୀ ହେଉଛନ୍ତି। ଯେତେବେଳେ ବଜାରରୁ ଅନ୍ୟମାନେ ସେହି ଉତ୍ପାଦ ବିକ୍ରିରୁ ଦୂରେଇ ଯାଉଛନ୍ତି ସେତେବେଳେ ଏହି ଇ-କମର୍ସ କମ୍ପାନୀମାନେ ନିଜର ପତିଆରା ଜାହିର କରି ଏକଛତ୍ରବାଦର ପ୍ରତିଷ୍ଠା କରିବା ସହ ଗ୍ରାହକଙ୍କ ପକେଟ ଖାଲି କରୁଛନ୍ତି। ଆଉ ସିଧାସଳଖ ସେହି ଅତ୍ୟଧିକ ଲାଭ ଦେଶରୁ ବିଦେଶକୁ ସ୍ଥାନାନ୍ତର ହେଉଛି। ଆଉ ଏହି କାରଣଟି ପାଇଁ ଭାରତ ସରକାର ଇ-କମର୍ସ ପାଇଁ ନିଜସ୍ୱ ଏକକ ପ୍ଲାଟଫର୍ମ ପ୍ରସ୍ତୁତ କରୁଛନ୍ତି। ଏହା ଲାଗୁ ହେଲେ ଗ୍ରାହକମାନଙ୍କର ବ୍ୟବହାରିକ ତଥ୍ୟ ଆଉ କୌଣସି ଗୋଟିଏ କମ୍ପାନୀ ପାଖରେ ସୀମିତ ହୋଇ ରହିବ ନାହିଁ। ଫଳରେ ସେମାନଙ୍କର ଏକଛତ୍ରବାଦୀ ବ୍ୟବସାୟିକ ନୀତି ଆଉ ତିଷ୍ଠି ପାରିବ ନାହିଁ। ସମସ୍ତଙ୍କୁ ସମାନ ନୀତିରେ ବ୍ୟବସାୟ କରିବାକୁ ଏହା ଏକ ରାସ୍ତା ପ୍ରସ୍ତୁତ କରିବ।

ଅନ୍ୟପଟେ ଏହି ଓଏନ୍‌ଡିସି ଖୋଦ୍‌ କେନ୍ଦ୍ର ସରକାରଙ୍କ ଷ୍ଟାର୍ଟଅପ୍‌ ହୋଇଥିବାବେଳେ ଏହା ଏକ ନନ୍‌-ପ୍ରଫିଟ୍‌ କମ୍ପାନୀ ରୂପେ ୨୦୨୧ ମସିହାରେ ଡିସେମ୍ବର ୩୧ ତାରିଖରେ ପଞ୍ଜୀକୃତ ହୋଇଛି, ଯାହା ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ସୁହାଇବ ବୋଲି ଆଶା କରାଯାଉଛି। କେବଳ ଏଥିରେ ଯେଉଁ ଗ୍ରାହକ ଓ ବିକ୍ରେତାଙ୍କ ତଥ୍ୟ ରହିବ ତାହାର ସୁରକ୍ଷାକୁ ନେଇ କିଛି ବୁଦ୍ଧିଜୀବୀ ଓ ବ୍ୟବସାୟୀ ଆଶଙ୍କା ପ୍ରକାଶ କରିଛନ୍ତି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!