ଆଗଲପୁର ବ୍ଲକ୍ରେ ଅତିରିକ୍ତ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ
ବଲାଙ୍ଗୀର: (ବ୍ୟୁରୋ ରିପୋର୍ଟ୍) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ରେ ଅତିରିକ୍ତ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ବେଆଇନ୍ ବାଲିଚାଲାଣ କରୁଥିବା ଟ୍ରାକ୍ଟରକୁ ଜବତ କରୁଥିବାବେଳେ ଏହିଭଳି ଘଟଣା ଘଟିଛି। ତାଙ୍କ ସହିତ ଜଣେ ଆର୍ଆଇଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଲୋଇସିଂହା ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ ତହସିଲ୍ଦାର୍ ହେଲେ ପ୍ରଭାକର ପ୍ରଧାନ। ଶ୍ରୀ ପ୍ରଧାନ ଗତକାଲି ରବିବାର ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଅଙ୍ଗନଦୀ ବାଲିଘାଟରୁ ଟ୍ରାକ୍ଟର (ଓଡି ୦୩ ଏସ୍ ୮୯୩୪) ଯୋଗେ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ସମ୍ପର୍କରେ ସେ ଖବର ପାଇଥିଲେ। ଏହାପରେ ରାଜସ୍ବ ବିଭାଗର ଏକ ଟିମ୍ ସହ ସେ ଚଢ଼ଉ କରିଥିଲେ। ତାଙ୍କ ସହିତ ଭରସୁଜା ଆର୍ଆଇ ସୁଶାନ୍ତ ପଟେଲ ଓ ମୁଖ୍ୟ କିରାଣି ନୀଳମାଧବ ନାୟକ ଚଢ଼ଉରେ ସାମିଲ ହୋଇଥିଲେ। ଚଢ଼ଉ ସମୟରେ ଶ୍ରୀ ପ୍ରଧାନ ତହସିଲ ଅଫିସ ଆଗରେ ବାଲି ଗୋଝେଇ ଟ୍ରାକ୍ଟରକୁ ଅଟକାଇ ରଖିବା ପାଇଁ କହିଥିଲେ। ମାତ୍ର, ଚାଳକ ଗାଡ଼ି ନରଖି ମାଲିକଙ୍କ ଘରକୁ ନେଇ ଆସିଥିଲା। ଏହାପରେ ଅତିରିକ୍ତ ତହସିଲଦାର, ଆର୍ଆଇ ଓ ମୁଖ୍ୟ କିରାଣି ଗାଡ଼ିକୁ ପିଛାକରି ସେଠାରେ ପହଞ୍ଚିଥିଲେ। ମାତ୍ର, ଗାଁର ୮ଜଣ ପୁରୁଷ ଓ ମହିଳା ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଧାନଙ୍କୁ ଆକ୍ରମଣ କରିବା ସହିତ ମାଡ଼ ମାରିଥିଲେ। ଆର୍ଆଇଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଘଟଣା ସମ୍ପର୍କରେ ଖବରପାଇ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।