ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଭୋଟ୍
ଭୋପାଳ: ମଧ୍ୟପ୍ରଦେଶର ସମସ୍ତ ୨୩୦ ବିଧାନସଭା ଆସନ ଏବଂ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନ ପାଇଁ ଆସନ୍ତାକାଲି (ଶୁକ୍ରବାର) ଭୋଟ୍ ଗ୍ରହଣ ହେବ। ମଧ୍ୟପ୍ରଦେଶ ନିର୍ବାଚନରେ ୨୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହେବାକୁ ଯାଉଥିବା ବେଳେ ୫୦ରୁ ଅଧିକ ଆସନରେ ମୁକାବିଲା ଅତ୍ୟନ୍ତ କଡ଼ା ହେବ ବୋଲି ଅନୁମାନ କରାଯାଉଛି। ରାଜ୍ୟର ୨୩୦ ବିଧାନସଭା ଆସନରୁ ଚମ୍ବଲ ଅଂଚଳରେ ୩୪ ଆସନ, ବୁନ୍ଦେଲଖଣ୍ଡରେ ୨୬ ଆସନ, ମାଲବା ଅଂଚଳରେ ୫୫ ଆସନ, ନିମାଡ଼ରେ ୧୮ ଆସନ, ବଘେଲଖଣ୍ଡରେ ୩୦ ଆସନ, ମହାକୌଶଳରେ ୪୭ ଆସନ ଏବଂ ଭୋପାଳ ଅଂଚଳରେ ୨୦ ଆସନ ରହିଛି। ୫ କୋଟି ୬୦ ଲକ୍ଷ ୫୮ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ଏବଂ ଏଥିପାଇଁ ୬୪,୬୨୬ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି।
ସେହିଭଳି ଛତିଶଗଡ଼ର ଅବଶିଷ୍ଟ ୭୦ଟି ଆସନରେ ଭୋଟଗ୍ରହଣ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ନକ୍ସଲ ପ୍ରବଣ ଅଂଚଳରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି। ଆସନ୍ତାକାଲି ଭୋଟଗ୍ରହଣ ପୂର୍ବରୁ ଛତିଶଗଡ଼ରେ ବିଜେପି ପ୍ରାର୍ଥୀ ରାମ ଦୟାଲ ଉଇକିଙ୍କ ଗାଡ଼ିରୁ କୋର୍ବା ଜିଲ୍ଲାରେ ପୁଲିସ ୧୧.୫୦ ଲକ୍ଷ ଟଙ୍କା ନଗଦ ଅର୍ଥ ଜବତ କରିଛି। ପାଲି-ତାନାଖର ନିର୍ବାଚନ ମଣ୍ଡଳୀରେ ଏହି ଘଟଣା ଘଟିଛି। ଟଙ୍କା ଜବତ ସମୟରେ ଉଇକି ଗାଡ଼ିରେ ଥିଲେ।