ଆସନ୍ତା ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ

ଆସନ୍ତା ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ

ନୂଆଦିଲ୍ଲୀ: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ଆସନ୍ତା ୮ ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛି । ଯଦିଓ ଗତ ଦୁଇଟି ନିର୍ବାଚନ ପରି ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ପାଇଁ ୩୭୦ ଆସନ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏନ୍‌ଡିଏ ପାଇଁ ୪୦୦ରୁ ଅଧିକ ଆସନ ଲକ୍ଷ୍ୟ ରଖିଥିଲେ। କିନ୍ତୁ ନୂଆ ଶକ୍ତି ସଂଗ୍ରହ କରିଥିବା କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ତାଙ୍କର ‘୪୦୦ ପାର୍’ ସ୍ବପ୍ନକୁ ଧୂଳିସାତ କରିଦେଇଛି। ୪୦୦ ପାର୍ ଦୂରର କଥା ଏନ୍‌ଡିଏ ଏଥର ୩୦୦ ଛୁଇଁପାରିନାହିଁ। ସେହିପରି ବିଜେପି ପାଇଁ ୩୭୦ ଆସନ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ଦଳ ଏକାକୀ ସରକାର ଗଠନ କରିବା ସ୍ଥିତିରେ ନାହିଁ। ସରକାର ଗଠନ ଲାଗି ୨୭୨ ଆସନ ଆବଶ୍ୟକ ଥିବ‌ା ବେଳେ ବିଜେପିକୁ ମିଳିଛି ୨୪୧ଟି ଆସନ। ସରକାର ଗଠନ ପାଇଁ ବିଜେପିକୁ ଏହାର ସହଯୋଗୀ ଦଳଙ୍କ ସମର୍ଥନର ସହଯୋଗ ନେବାକୁ ପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ଉତ୍ତରପ୍ରଦେଶର ବାରାଣସୀ ଆସନରୁ ନିର୍ବାଚନ ଜିତିଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ମୋଦୀ ୧,୫୨,୫୧୩ ଭୋଟ ବ୍ୟବଧାନରେ ହରାଇଛନ୍ତି। ତେବେ ୨୦୧୪ ଏବଂ ୨୦୧୯ ତୁଳନାରେ ଚଳିତ ଥର ମୋଦୀଙ୍କ ବିଜୟ ବ୍ୟବଧାନ କମ୍‌ ରହିଛି। ୨୦୧୯ରେ ମୋଦୀଙ୍କ ବିଜୟ ବ୍ୟବଧାନ ୪,୭୯,୫୦୫ ଥିଲା। ୨୦୧୪ରେ ମଧ୍ୟ ମୋଦୀଙ୍କ ବିଜୟ ବ୍ୟବଧାନ ୩,୭୧,୭୮୪ ଥିଲା।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!