କୁମାର ପୂର୍ଣ୍ଣିମା
କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା ।ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ ।
ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ ।ଏହିପର୍ବ ଓଡ଼ିଶାର ଘରେ ଘରେ ପାଳିତ ହୁଏ ଏବଂ ଏ ଦିନ ଓଡ଼ିଶାବାସୀ ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । କୁମାର ପୂର୍ଣ୍ଣମୀ ଅବସରରେ ପାଳିତ ହେଉଥିବା ଜହ୍ନି ଓଷା ଏକ ସକାମ ବ୍ରତ । ରୋଗରୁ ମୁକ୍ତ ଓ ଧନପ୍ରାପ୍ତ ଉଭୟ କାମନାର ପରିପୂରଣ ପାଇଁ ଏ ଓଷା ପାଳନ । ଲକ୍ଷ୍ମୀବ୍ରତ ଐଶ୍ୱର୍ଯ୍ୟପ୍ରାପ୍ତିର କାମନାରେ ପାଳିତ ହୋଇଥାଏ ।
ଜୁଆଖେଳ, ପଶାଖେଳ ବା ଗଜଲକ୍ଷ୍ମୀ ପୂଜା ଇତ୍ୟାଦି ମୂଳରେ ସମ୍ପଦ ଓ ସୌଭାଗ୍ୟ ଲାଭର ଲାଳସା ପ୍ରଚ୍ଛନ୍ନ । ଚନ୍ଦ୍ର ଓ ସୂର୍ଯ୍ୟ ଉପାସନା ଅନ୍ତରାଳେରେ ଶକ୍ତି ଓ ସାମର୍ଥ୍ୟ ଲାଭର ପିପାସା ନିହିତ । ସେହିପରି କେଦାର ବା କାର୍ତ୍ତିକେୟ ବ୍ରତ ପାଳନ । ଅତଏବ ମନେହୁଏ ଯେ କୁମାର ପୂର୍ଣ୍ଣମୀ ଦିନଟି କୁମାରୋତ୍ସବ ନାମରେ କଥିତ ହେଉଥିଲେ ମଧ୍ୟ ଏହା ନାରୀପୁରୁଷ ନିର୍ବିଶେଷରେ ଅତି ଆଦରଣୀୟ ପର୍ବ ରୂପେ ଗୃହିତ ହୋଇଥାଏ । [୧] ଏହି ସମୟରେ ଗଜପୃଷ୍ଠରେ ଲକ୍ଷ୍ମୀଦେବୀଙ୍କର ହୁଏ ଆବିର୍ଭାବ । କାରଣ ଓଡ଼ିଶାର ନରନାରୀ ପରା ଲକ୍ଷ୍ମୀଦେବୀଙ୍କୁ ଆରାଧନା ମାଧ୍ୟମରେ ବରଣ ହୋଇଥାନ୍ତି । ଯିଏ ରାତ୍ରି ଉଜାଗର ରହି ପଶାଖେଳରେ ନିଯୁକ୍ତ ରହେ ତାହାକୁ ହିଁ ଲକ୍ଷ୍ମୀଦେବୀ ବରପ୍ରଦାନ କରନ୍ତି ।
ପଶାଖେଳର ଆଧୁନିକ ରୂପଟି ଅତି ଭୟାବହ ଅନୁଭୂତି ହେଲେ ମଧ୍ୟ ତାତ୍ତ୍ୱିକ ଦୃଷ୍ଟିରୁ ଏହା ଅନୁଧ୍ୟାନଯୋଗ୍ୟ । ପୁରାଣ ଯୁଗରୁ ଏପର୍ଯ୍ୟନ୍ତ ବହୁବ୍ୟକ୍ତି ପଶାଖେଳ ଦ୍ୱାରା ଆସକ୍ତ ହୋଇ ସର୍ବସ୍ୱାନ୍ତ ହେବା ଦୃଷ୍ଟାନ୍ତ ବିରଳ ନୁହେଁ ; କିନ୍ତୁ କୁମାର ପୂର୍ଣ୍ଣିମୀ ଦିନ ନରନାରୀମାନେ ଯେଉଁ ଉଦ୍ଦେଶ୍ୟରେ ପଶାଖେଳରେ ରତ ଥାନ୍ତି ତାହା ଅତି ସାଙ୍କେତିକ ଅର୍ଥ ବହନ କରିଥାଏ । ସଂସାରଟା ପଶାଖେଳ ସହିତ ସମାନ । ପଶାଖେଳର ସାର ବା ଗୋଟିଗୁଡିକ ମଧ୍ୟରୁ କେଉଁସାର ନିର୍ବିଘ୍ନରେ ପାଚିଯାଏ ତ କିଏ କଞ୍ଚା ଅବସ୍ଥାରେ ମରିଯାଏ । ପୁଣି କାହାରି ଖେଳ ପାଚିଯିବାର ସମସ୍ତ ସମ୍ଭାବନା ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାହା କଞ୍ଚା ହୋଇଯାଏ ।
ଏପରି ଉତ୍ଥାପନ, ପତନ, ଦୌଡ଼ ଓ ପ୍ରତିଯୋଗିତା ଚିତ୍ର ତ ସଂସାରରେ ସୁସ୍ପଷ୍ଟ । ଯେଉଁ ବ୍ୟକ୍ତି ଏ ଉଠାପଡା ଦୁନିଆରେ ନିଜ ପୁରୁଷାକାର ଦ୍ୱାରା ସ୍ଥିର ରହେ, ସେହି କେବଳ ଜିତାପଟ ନିଏ । କାରଣ ଲକ୍ଷ୍ମୀଙ୍କର ଅନ୍ୟନାମ ଚଞ୍ଚଳ । ସେ କାହାକୁ ହସାନ୍ତି ତ କାହାକୁ କନ୍ଦାନ୍ତି । କାହା ମୁଣ୍ଡରେ ରାଜମୁକୁଟ ପିନ୍ଧାନ୍ତି ତ କାହାକୁ ଦାଣ୍ଡର ଭିକାରି କରନ୍ତି । ତେଣୁ ରୋଗ, ଶୋକ, ଅଭାବ ଅନଟନର ଅନ୍ଧକାର ରାତ୍ରିରେ ଯିଏ ଉଜାଗର ରହେ ଏବଂ ଅସ୍ଥିର ଓ କ୍ଳାନ୍ତ ହୁଏ ନାହିଁ ସେ ହିଁ କେବଳ ଲକ୍ଷ୍ମୀଙ୍କର ବରପୁତ୍ର ହୁଏ । ତେଣୁ କୁମାର ପୂର୍ଣ୍ଣିମୀରେ ଉଜାଗର ରହିବା ପ୍ରଥା ଓଡ଼ିଶାର ବହୁ ସ୍ଥଳରେ ପ୍ରଚଳନ ରହିଛି ।