ଚିଟଫଣ୍ଡ ପ୍ରସଙ୍ଗରେ ନୋଟିସ୍ ଦେଇଛନ୍ତି ସୁପ୍ରିମକୋର୍ଟ :
ଭୁବନେଶ୍ୱର :(ବ୍ୟୁରୋ ରିପୋର୍ଟ୍) ପୁଣି ଫେରିଲା ଚିଟଫଣ୍ଡ ତାତି । ରାଜ୍ୟ ସରକାର ଓ ସିବିଆଇକୁ ଚିଟଫଣ୍ଡ ପ୍ରସଙ୍ଗରେ ନୋଟିସ୍ ଦେଇଛନ୍ତି ସୁପ୍ରିମକୋର୍ଟ । ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ କ’ଣ ପଦକ୍ଷେପ ନେଇଛନ୍ତି କୋର୍ଟ ଜାଣିବାକୁ ଚାହିଁଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏମ ଆର ସାହା ଓ ବିଚାରପତି ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ଅବସରରେ ଏହା ପ୍ରକାଶ ପାଇଛି ।
ସୂଚନା ମୂତାବକ, ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମାମଲା ପରିଚାଳନା କରିଥିଲେ । ପିଟିସନରେ ପ୍ରଶାନ୍ତ ଭୂଷଣ ଦର୍ଶାଇଥିଲେ, ମାମଲାକୁ ୯ ବର୍ଷ ବିତିଯାଇଛି । ଏଭିତରେ ଅନେକ ସମ୍ପତ୍ତି ବ୍ୟାଜପ୍ତ ହୋଇଥିଲେ ବି ଜଣେ ହେଲେ ନିବେଶକଙ୍କୁ ଅର୍ଥ ଫେରାଯାଇନି । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ । ଆବେଦନକାରୀଙ୍କ ପକ୍ଷରୁ ୪୮୦ ପୃଷ୍ଠାର ପିଟିସନ୍ ଆକାରରେ ଜନସ୍ୱାର୍ଥ ମାମଲା କରାଯାଇଛି ।
ଓଡ଼ିଶାର ଚିଟଫଣ୍ଡ ଠକେଇରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଥିବା କୁହାଯାଉଛି । ୪୪ ଚିଟଫଣ୍ଡ କମ୍ପାନୀ ବିରୁଦ୍ଧରେ ୨୦୧୪ରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ସତ୍ତ୍ୱେ ସିବିଆଇ ତାର ଚୂଡାନ୍ତ ରିପୋର୍ଟ ଦାଖଲ କରିନଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି ।