ଛାତ୍ରୀକୁ ଦୁଷ୍କର୍ମ
ନୂଆଦିଲ୍ଲୀ: ଦିଲ୍ଲୀର କେନ୍ଦ୍ରୀୟ ବିଦ୍ୟାଳୟରେ ୧୧ ବର୍ଷୀୟା ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ନାବାଳିକାଙ୍କ ସିନିୟର ଛାତ୍ର ତାଙ୍କ ସହ ବିଦ୍ୟାଳୟର ଶୌଚାଳୟରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାମୀ ମାଲିୱାଲ ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରିନ୍ସପାଲଙ୍କୁ ନୋଟିସ ଜାରି କରିଛନ୍ତି । ଏହି ଘଟଣାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି ।
ଅଭିଯୋଗ ମୁତାବକ, ୧୧ ବର୍ଷୀୟା ଛାତ୍ରୀଙ୍କୁ ଜଣଙ୍କୁ ଦ୍ବାଦଶ ଶ୍ରେଣୀର ଦୁଇ ଜଣ ଛାତ୍ର ଗଣଦୁଷ୍କର୍ମ କରିଛନ୍ତି । ଛାତ୍ରୀ ଜଣକ କ୍ଲାସରୁମ ଯାଉଥିବା ବାଟରେ ଏହି ଦୁଇ ସିନିୟରଙ୍କ ସହ ସାମ୍ନାସାମ୍ନି ହୋଇଥିଲେ । ଏଥିପାଇଁ ସେ କ୍ଷମା ମଧ୍ୟ ମାଗିଥିଲେ । ମାତ୍ର ଦୁଇ ଅଭିଯୁକ୍ତ ତାଙ୍କୁ ଖରାପ ଆଚରଣ କରିବା ସହ ଜୋର ଜବରଦସ୍ତି ସ୍କୁଲ ଶୌଚାଳୟକୁ ନେଇଯାଇଥିଲେ । ରୁମ୍ କବାଟ ଲକ୍ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ ।
ଏ ସମ୍ପର୍କରେ ପୀଡିତା ନିଜ ଶିକ୍ଷକମାନଙ୍କୁ ଜଣାଇଥିଲେ । କିନ୍ତୁ ଦୁଷ୍କର୍ମକାରୀ ଦୁଇ ଛାତ୍ରଙ୍କୁ କେବଳ ସ୍କୁଲରୁ ବହିଷ୍କାର କରାଯାଇଛି । ଅନ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ପୀଡିତା କହିଛନ୍ତି । ଅନ୍ୟପଟେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ଏବଂ ସ୍କୁଲ ପ୍ରିନ୍ସପାଲଙ୍କୁ ନୋଟିସ ଜାରି କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି । ଏହାସହିତ ଅଧ୍ୟକ୍ଷା ଏଫଆଇର କପି ଦେବାକୁ ପୋଲିସକୁ କହିଛନ୍ତି ।
ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ”ଦିଲ୍ଲୀରେ ସ୍କୁଲ ଭିତରେ ୧୧ ବର୍ଷୀୟା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭଳି ଏକ ଗମ୍ଭୀର ମାମଲା ଆମେ ପାଇଛୁ । ସ୍କୁଲ ଶିକ୍ଷକ ଏହି ଘଟଣା ଚପାଇ ଦେବାକୁ ଚେଷ୍ଟା କରୁଥିବା ପୀଡିତା ଅଭିଯୋଗ କରିଛନ୍ତି । ତେବେ ଜାତୀୟ ରାଜଧାନୀରେ ସ୍କୁଲଗୁଡିକରେ ମଧ୍ୟ ପିଲା ଅସୁରକ୍ଷିତ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂମିକା ଦିଗରେ ମଧ୍ୟ ତଦନ୍ତ କରାଯିବ ।” ତେବେ ଗତ ଜୁଲାଇରେ ନାବାଳିକାଙ୍କ ସହ ଏହି ଗଣଦୁଷ୍କର୍ମ ହୋଇଥିବା ବେଳେ ଏବେ ଘଟଣା ସାମ୍ନାକୁ ଆସିଛି