ଛାତ୍ରୀଙ୍କୁ ଅପହରଣ
ବୌଦ୍ଧଜିଲ୍ଲା :(ବ୍ୟୁରୋ ରିପୋର୍ଟ୍) ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାଞ୍ଚଳରେ ଏଭଳି ଘଟଣା ଘଟିଛି। ନିଛାଟିଆ ସ୍ଥାନ ଦେଖି ନାବାଳିକାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅସଦାଚରଣ କରିଛନ୍ତି। ଏନେଇ ପୀଡ଼ିତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପିଲାମାନଙ୍କୁ ସ୍କୁଲ ପଠାଇବାକୁ ଅଭଭାବକମାନେ ସୁରକ୍ଷିତ ମଣୁ ନାହାଁନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜାଣିବାକୁ ମିଳିଛି।
ସୂଚନାନୁଯାୟୀ, ଛାତ୍ରୀ ଜଣଙ୍କ ତାଙ୍କ ସହପାଠୀଙ୍କ ସହ ସାଇକେଲ୍ ଯୋଗେ ସ୍କୁଲ ଯାଉଥିବା ବେଳେ ନିଛାଟିଆ ସ୍ଥାନ ଦେଖି ଦୁଇ ଜଣ ଦୁର୍ବୃତ୍ତ ଅସଦାଚରଣ କରିଥିଲେ। ଛାତ୍ରୀଙ୍କୁ ନିକଟରେ ଥିବା କଣ୍ଟାବୁଦାକୁ ଠେଲି ଦେଇଥିଲେ। ଛାତ୍ରୀ ଜଣଙ୍କ ତଳେ ପଡ଼ିଯିବା ପରେ ତାଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ବୁଦା ଆଢୁଆଳକୁ ଟାଣିଥିଲେ। ଏହା ଦେଖି ସହପାଠୀମାନେ ଭୟଭୀତ ହୋଇ କାନ୍ଦିବାରୁ ସେହି ବାଟ ଦେଇ ଯାଉଥିବା ଅନ୍ୟ ଜଣେ ବ୍ୟକ୍ତି ଘଟଣା ଦେଖି ମନା କରିବାରୁ ଛାତ୍ରୀ ଜଣଙ୍କ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇଥିଲେ। ତେବେ ଦୁର୍ବୃତ୍ତମାନେ ଉକ୍ତ ବ୍ୟକ୍ତିଙ୍କୁ ଧମକ ଦେବା ସହ ଭବିଷ୍ୟତରେ ହାଇସ୍କୁଲ ଛାତ୍ରୀମାନଙ୍କୁ ଏପରି କରିବୁ ବୋଲି କହିଥିଲେ।
ଏହା ଏକ ନିଛାଟିଆ ସ୍ଥାନ ହୋଇଥିବା ବେଳେ ଏଠାରେ ଏକ ଦେଶୀ ମଦ ଦୋକାନ ରହିଛି। ଫଳରେ ମଦ୍ୟପଙ୍କ ଭିଡ଼ ମଧ୍ୟ ଜମୁଛି। ଏହି ସବୁ କାରଣ ଯୋଗୁଁ ଛାତ୍ରୀମାନେ ସେହି ବାଟ ଦେଇ ପଢି ଯିବାକୁ ନିଜକୁ ନିରାପଦ ମଣୁ ନାହାନ୍ତି।