ଜୀବନ ହାରିଲେ ରାଉରକେଲାର ପୂର୍ବତନ ପୌରାଧ୍ୟକ୍ଷ ରମେଶ ବଳ
ରାଉରକେଲା,(କାଞ୍ଚନ ଟିଭି): ରାଉରକେଲା ଓକିଲ ସଂଘର ପୂର୍ବତନ ସଭାପତି ତଥା ପୂର୍ବତନ ପୌରାଧ୍ୟକ୍ଷ ରମେଶ ବଳ ଗତକାଲି ଆତ୍ମହତ୍ୟା କରିଛନ୍ତି। ଡେଲିମାର୍କେଟ ସ୍ଥିତ ତାଙ୍କ ବାସଭବନରେ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ଜଣେ ସମାଜସେବୀ, ରାଜନେତା ତଥା ଓକିଲ ସଂଘର ଅପ୍ରତିଦ୍ଵନ୍ଦୀ ନେତା ଥିଲେ ରମେଶ ବଳ। କେବଳ ଏତିକି ନୁହେଁ, ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କର ଘନିଷ୍ଠ ସହଯୋଗୀ ଭାବେ ବି ପରିଚିତ ଥିଲେ। ତାଙ୍କର ଅକାଳ ମୃତ୍ୟୁ ରାଉରକେଲାବାସୀଙ୍କ ପାଇଁ ଅପୂରଣୀୟ କ୍ଷତି। ଏହି ଖବର ପ୍ରଚାରିତ ହେବା ପରେ ରାଉରକେଲାରେ ଶୋକର ଛାୟା ଖେଳିଯାଇଛି।
ଏଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ରାଉରକେଲା ପ୍ଲାଣ୍ଟସାଇଟ ପୁଲିସ, ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆତ୍ମହତ୍ୟା କରିଥିବା ଘରୁ ସୁସାଇଟ ନୋଟ ମିଳିଥିବା ଜଣାପଡିଛି। ସେପଟେ ରମେଶ ବଳଙ୍କ ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା, ରାଉରକେଲା ଓକିଲ ସଂଘର ବହୁ ଆଇନଜୀବୀ ଓ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ପ୍ରତିନିଧି ରମେଶ ବଳଙ୍କ ଘରେ ପହଞ୍ଚିଛନ୍ତି।