ନାସାକୁ ମିଳିଲା ଅଜବ ଦ୍ୱୀପ
ନୂଆଦିଲ୍ଲୀ:(କାଞ୍ଚନଟିଭି ବ୍ୟୁରୋ ରିପୋର୍ଟ) ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ଅଷ୍ଟ୍ରେଲିଆ ନିକଟ ଦକ୍ଷିଣପଶ୍ଚିମ ପ୍ରଶାନ୍ତ ମହାସାଗରରେ ଜ୍ୱାଳାମୁଖୀ ବିସ୍ଫୋରଣ ହେବାର କିଛି ଘଣ୍ଟା ପରେ ଏକ ଦ୍ୱୀପ ଦେଖିଥିଲା । ଚଳିତ ମାସ ଆରମ୍ଭରେ କେନ୍ଦ୍ରୀୟ ଟୋଙ୍ଗା ଦ୍ୱୀପରେ ହୋମ ରିଫ୍ ଜ୍ୱାଳାମୁଖୀ ଲାଭା, ଧୂଆଁ ବାହାର କରିବା ଆରମ୍ଭ କରିଥିଲା । ଏହାର ଆଖପାଖ ଅଞ୍ଚଳରେ ପାଣିର ରଙ୍ଗ ବଦଳି ଯାଇଥିଲା । କିନ୍ତୁ ପୃଥିବୀ ଉପରେ ନଜର ରଖୁଥିବା ନାସାର ବିଭାଗ ଅନୁସାରେ, ଏହି ଜ୍ୱାଳାମୁଖୀରେ ବିସ୍ଫୋରଣର ୧୧ ଘଣ୍ଟା ପରେ ପାଣି ଉପରେ ଏକ ଦ୍ୱୀପ ଦେଖିବାକୁ ମିଳିଥିଲା । ସାଟେଲାଇଟ୍ ଜରିଆରେ ଏହି ଦ୍ୱୀପର ଫଟୋ ନିଆଯାଇଛି ।
ନାସାର ସୂଚନା ଅନୁସାରେ, ନୂଆ ଦ୍ୱୀପ ଶୀଘ୍ର ବଡ଼ ଆକାର ନେଇଥିଲା। ସେପ୍ଟେମ୍ୱର ୧୩ରେ ବୈଜ୍ଞାନିକମାନେ ଟୋଙ୍ଗାର ଜିୟୋଲଜିକଲ ସର୍ଭିସ ସହ ମିଶି ଏହି ଦ୍ୱୀପର ଆକାର ପ୍ରାୟ ୪୦୦୦ ବର୍ଗ ମିଟର ଅର୍ଥାତ ଏକ ଏକର ହୋଇଥିବା କହିଥିଲେ । ଏହାସହ ସମୁଦ୍ର ପତନରୁ ଏହାର ଉଚ୍ଚତା ୧୦ ମିଟର ଅର୍ଥାତ ପ୍ରାୟ ୩୩ ଫୁଟି ଥିବା କୁହାଯାଇଥିଲା । ତେବେ ସେପ୍ଟେମ୍ୱର ୨୦ରେ ବୈଜ୍ଞାନିକମାନେ ସୂଚନା ଦେଇ ଏହି ଦ୍ୱୀପର ଆକାର ବଢି ୨୪୦୦୦ ବର୍ଗ ମିଟର ହୋଇଥିବା କହିଥିଲେ। ଏହା ପ୍ରାୟ ୬ ଏକର ହୋଇଥିଲା।
ଆମେରିକା ସ୍ପେସ ଏଜେନ୍ସି ଅନୁସାରେ ଏହି ନୂଆ ଦ୍ୱୀପ ସେଣ୍ଟ୍ରାଲ ଟୋଙ୍ଗା ଆଇଲ୍ୟାଣ୍ଡରେ ହୋମ ରିଫ୍ ସୀମାଉଣ୍ଟ ଉପରେ ହୋଇଛି । କିନ୍ତୁ ଏହି ଦ୍ୱୀପ ସବୁବେଳ ରହିବ ନାହିଁ ବୋଲି ଏଜେନ୍ସି କହିଛି।