ନେତାଜୀ ବସ୍ ଟର୍ମିନାଲ ଲୋକାର୍ପିତ
କଟକ:(ବ୍ୟୁରୋ ରିପୋର୍ଟ) ଖାନନଗରଠାରେ ରାଜ୍ୟର ପ୍ରଥମ ଅତ୍ୟାଧୁନିକ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନରେ ଲୋକାର୍ପଣ କରିଛନ୍ତି । ଏଥି ସହିତ ନୂଅ । ବସଷ୍ଟାଣ୍ଡରୁ ପୁରୀକୁ ଗଡ଼ିଥିବା ପ୍ରଥମ ବସକୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ନେତାଜୀ ବସ ଟର୍ମିନାଲରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ଯାତ୍ରୀବାହୀ ବସ୍ ଗଡ଼ିଛି । ୧୫ ଏକର ଜମିରେ ନିର୍ମିତ ନେତାଜୀ ବସ୍ ଟର୍ମିନାଲରେ ଏକକାଳୀନ ୧୯୨ ଟି ବସ୍ ରହିପାରିବ । ବସ୍ ଟର୍ମିନାଲରେ ୫୨ ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ ୨୦ଟି ‘ମୋ ବସ୍’ ରହଣୀ ସୁବିଧା ରହିଛି । ଡ୍ରାଇଭର ଏବଂ ବସ୍ ସହାୟକମାନଙ୍କ ପାଇଁ ବିଶ୍ରାମ ଗୃହ, ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟିକେଟ କାଉଣ୍ଟର ଓ ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି ସହ ଟର୍ମିନାଲ ମଧ୍ୟରେ ଏକ ପୁଲିସ ଆଉଟ ପୋଷ୍ଟ ରହିବ । ଟର୍ମିନାଲରେ ମିଶନ ଶକ୍ତି କାଫେ, ଆହାର କେନ୍ଦ୍ର, ଏଟିଏମ୍, ମୋବାଇଲ ·ର୍ଜିଂ ପଏଣ୍ଟ ଭଳି ସୁବିଧା ରହିଛି । ମୁଖ୍ୟମନ୍ତ୍ରୀ ଏକ ନିରାଡ଼ମ୍ବର ଉତ୍ସବରେ ବସ୍ ଟର୍ମିନାଲ ଲୋକାର୍ପଣ ସହ ଅନ୍ୟ ୧୩ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଉଦ୍ଘାଟିତ ପ୍ରକଳ୍ପଗୁଡିକ ମଧ୍ୟରେ ୯୦.୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନେତାଜୀ ବସ୍ ଟର୍ମିନାଲ, ଆର୍ଥିକ ଦୁର୍ବଳ ବର୍ଗ ଓ ସ୍ୱଳ୍ପ ରୋଜଗାରକ୍ଷମ ଲୋକଙ୍କ ପାଇଁ ନରଣପୁରଠାରେ ୮୮.୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁଲଭ ଗୃହ ପ୍ରକଳ୍ପ, ୯.୭୨ କୋଟି ବ୍ୟୟରେ ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ସିଲଭରସିଟି ବୋଟ୍ କ୍ଲବ୍, ପର୍ଯ୍ୟଟନ ବିଭାଗ ଦ୍ୱାରା ୫.୨୩ କୋଟି ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ପାର୍ଶ୍ୱରେ ଫୁଡ କୋର୍ଟ ଓ ୱାଟର ସ୍ପୋର୍ଟସ୍ ଜୋନ୍, ୩.୨୨ କୋଟି ବ୍ୟୟରେ ସିଏମସି ପକ୍ଷରୁ ର୍ନିମିତ ଛତ୍ରବଜାର ଅର୍ବାନ ହାଟ, ପୂର୍ତ୍ତ ବିଭାଗ ଦ୍ୱାରା ୫୪ ଲକ୍ଷ ଟଙ୍କା ବ୍ୟୟରେ ରାଣୀହାଟ କ୍ଲକ ଟାୱାର, ୨୩.୩୫ କୋଟି ବ୍ୟୟରେ ପୂର୍ତ୍ତ ବିଭାଗ ଦ୍ୱାରା ତାଳଦଣ୍ଡା ଉପରେ ର୍ନିମିତ ଏକାଧିକ ପୋଲ, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୬୬.୬୫ କୋଟି ବ୍ୟୟରେ ନିର୍ମିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ମହାନଦୀ କ୍ୟାମ୍ପସର ଏକାଡେମିକ ବ୍ଲକ୍ ଓ ହଷ୍ଟେଲ-୧ ଏବଂ ୨, ୩୦କୋଟି ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନୂତନ ପାଠାଗାର ଓ ୨୩.୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ ୨୦୦ କୋଟି ଟଙ୍କାର ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେଥି ମଧ୍ୟରେ ରହିଛି ୧୨୩ କୋଟି ଟଙ୍କା ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ କେନ୍ଦ୍ର, ଗେଷ୍ଟ ହାଉସ୍, କ୍ରିକେଟ୍ ଷ୍ଟାଡିୟମ, ୪୫.୧୯ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ଓ ସର୍ବସାଧାରଣଙ୍କ ନିମନ୍ତେ ଏକାଧିକ ପ୍ରକଳ୍ପ ଯଥା ଫୁଟପାଥ୍, ପାର୍କ, ସଂଗ୍ରହାଳୟ, ଭେଣ୍ଡିଂଜୋନ, ପାନୀୟ ଜଳ ପ୍ରକଳ୍ପ, ଶୌ·ଳୟ ଓ ବସ୍ ଷ୍ଟପ୍, ଜାତୀୟ ରାଜପଥରୁ ପୂର୍ବ ପଟ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ୮.୯୫ କୋଟି ଟଙ୍କା ବ୍ୟୟରେ ୪ ଲେନ୍ ବିଶିଷ୍ଟ ରାସ୍ତା । ମୁଖ୍ୟମନ୍ତ୍ରୀ କଟକ ସନସାଇନ ପଡ଼ିଆ ହେଲିପ୍ୟାଡ଼ରେ ଅବତରଣ କଲା ପରେ ନବର୍ନିମିତ ବସ୍ ଟର୍ମିନାଲରେ ପହଞ୍ଚି ଥିଲେୟ ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସାଂସଦ ଭର୍ତ୍ତୃହରି ମହତାବ, ୫-ଟି ସଚିବ ଭିକେ ପାଣ୍ଡିଆନ୍, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ କମିସନର ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ ।