ବିଶ୍ଵ ସ୍ତରୀୟ ସ୍ମାଟ ସିଟିରେ ଅସ୍ଥାୟୀ ପୋଖରୀ
ଭୁବନେଶ୍ୱର:(କାଞ୍ଚନ ଟିଭି) ବର୍ଷାକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ଗତ କିଛି ଦିନ ହେବ ପାଣିପାଗ ବିଭାଗ ପୂର୍ବାନୁମାନ କରି ଆସୁଥିଲା ଯେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ଭୁବନେଶ୍ୱର ବାସୀ ଅସ୍ତବ୍ୟସ୍ତ ହୋଇ ପଡୁଥିଲେ । ସୋମବାର ସକାଳୁ ପାଗ ମେଘୁଆ ଥିବା ବେଳେ ଅପରାହ୍ନରେ ଏମିତି ବର୍ଷାର କଳ୍ପନା ସ୍ୱପ୍ନରେ ମଧ୍ୟ କେହି କରି ନ ଥିଲେ। ଅପରାହ୍ନ ଚାରିଟା ରୁ ଆରମ୍ଭ ହେଇଥିଲା ବର୍ଷା । ହେଲେ ୪ ରୁ ଆରମ୍ଭ ହୋଇ ୬ ଟା ପର୍ଯ୍ୟନ୍ତ ଏମିତି ବର୍ଷିଲା ଯେ ଖୋଲିଦେଲା ବିଶ୍ବସ୍ତରୀୟ ସ୍ମାଟ୍ ସିଟି ର ମୁଖା। ଯୁଆଡ଼େ ଦେଖିବେ ପାଣି କେବଳ ରାସ୍ତା ଘାଟ ନୁହଁ ଘର ଭିତରେ ଲହଡ଼ି ମାରିଲା ବର୍ଷା ଓ ନାଳପାଣି , ରାସ୍ତା ଘାଟ ଜାମ୍ ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହା ଭିତରେ ଏମ୍ସ ର ପାଚେରୀ ଭାଙ୍ଗି ୩ଜଣ ଆହତ ହୋଇଥିବା ବେଳେ ବିମାନ ବନ୍ଦରର ପାଚେରୀ ମଧ୍ୟ ଭାଙ୍ଗିଥିବା ଜଣାପଡିଛି। ୧୫ ଦିନ ତଳେ ବିଏମସି ପକ୍ଷରୁ ପ୍ରତିଶୃତି ଦିଆ ଯାଇଥିଲା ଯେ ଏଥର ବର୍ଷା ହେଲେ ରାସ୍ତାରେ ପାଣି ଜମିବ ନାହିଁ । ପାଣି ଜମୁଥିବା ସ୍ଥାନରେ ଚିହ୍ନଟ ହୋଇଛି ଏବଂ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମେୟର ସୁଚନା ଦେଇଥିଲେ । ହେଲେ ଦୁଇ ଘଣ୍ଟାର ଏହି ବର୍ଷା ସ୍ମାଟ୍ ସିଟିର ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସହିତ ୬ଟି ଜିଲ୍ଳାରେ ପ୍ରବଳ ରୁ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ସୋମବାର ଅପରାହ୍ନରୁ ରାଜଧାନୀ ଭୁବନେଶ୍ୱରରେ ବଜ୍ରପାତ ସହିତ ପ୍ରବଳ ବର୍ଷା ଯୋଗୁଁ ଚାରିଆଡ଼େ ଜଳମଗ୍ନ ଦେଖିବାକୁ ମିଳିଛି । ଦୁଇ ଘଣ୍ଟା ଧରି ଲଗାଣ ବର୍ଷା ଫଳରେ ମହାନଗରର ସମସ୍ତ ସ୍ଥାନରେ ୩ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ ହେବାରୁ ଯାତାୟାତ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଥିଲା । ରାଜଧାନୀର ମୂଖ୍ୟ ରାସ୍ତା ଗୁଡିକରେ ପ୍ରବଳ ବର୍ଷା ଯୋଗୁଁ ଡ୍ରେନେଜ୍ ଓ ରାସ୍ତା ଏକକାର ହୋଇଯାଇଥିଲା। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଅସମ୍ଭବ ହୋଇ ପଡ଼ିଥିଲା। ଚାରିଆଡ଼େ କେବଳ ପାଣି ଓ ପାଣିରେ ଭରପୁର ହୋଇଯାଇଥିଲା ସ୍ମାଟ ସିଟି।