ବ୍ରାଉନ୍ସୁଗାର ଜବତ
ଭୁବନେଶ୍ବର:(କାଞ୍ଚନଟିଭି) ଗତକାଲି ରାତିରେ ରାଜଧାନୀରୁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଜବତ କରିଛି କୋଟିଏ ଟଙ୍କାର ବ୍ରାଉନ୍ସୁଗାର। ସୁନ୍ଦରପଦା ଅଞ୍ଚଳରେ ଚଢ଼ଉ କରି ପୁଲିସ ଟିମ୍ ଏକ ହୋଣ୍ଡା ଆମେଜ୍ କାର୍ରୁ ଏକ କେଜିରୁ ଅଧିକ ଧଳାଜହର ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। କିନ୍ତୁ ପୁଲିସ ଟିମ୍କୁ ଚକ୍ମା ଦେଇ ମାଫିଆ ମୁଖିଆ ସେଠାରୁ ଚମ୍ପଟ ମାରିଛି। ଧରାପଡ଼ିଥିବା ଅଭିଯୁକ୍ତ ହେଲା କ୍ୟାପିଟାଲ ଥାନା ଫରେଷ୍ଟ ପାର୍କ ଅଞ୍ଚଳର ଉମେଶ ବେହେରା(୨୪)। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଦଶହରା ପୂର୍ବରୁ ରାଜଧାନୀରୁ ଏତେ ପରିମାଣର ଧଳାହଜର ଜବତ ହେବା ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି।
ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ନିଶା ମାଫିଆ ଏକ କାର୍ରେ ବ୍ରାଉନ୍ସୁଗାର ନେଇ ଜଟଣୀରୁ ଭୁବନେଶ୍ୱର ଆସୁଛନ୍ତି ବୋଲି ଏସ୍ଟିଏଫ୍କୁ ଖବର ମିଳିଥିଲା। ତୁରନ୍ତ ଏସ୍ଟିଏଫ୍ ସ୍ଥାନୀୟ ଏୟାର୍ଫିଲ୍ଡ ଥାନା ପୁଲିସକୁ ଜଣାଇଥିଲା। ଯୋଜନା ମୁତାବକ ଦୁଇ ଟିମ୍ ସୁନ୍ଦରପଦା ରାସ୍ତାରେ ଛକି ବସିଥିଲେ। ସୁନ୍ଦରପଦା-ଜଟଣୀ ରାସ୍ତାର ହାଇଟେକ୍ ପ୍ଲାଜା ନିକଟରେ ପୁଲିସ ଟିମ୍ କାର୍କୁ ଅଟକାଇଥିଲା। ମାତ୍ର କାର୍ ଚାଳକ ତଥା ମାଲିକ କୌଶଳକ୍ରମେ କାର୍ରୁ ଡେଇଁ ଚମ୍ପଟ ମାରିଥିଲା। କିନ୍ତୁ ଧରାପଡ଼ିଯାଇଥିଲା ଉମେଶ। ଥାନାକୁ ଆଣି କାର୍କୁ ଯାଞ୍ଚ କଲା ବେଳେ ସେଥିରୁ ଏକ କେଜି ୫୦ ଗ୍ରାମ୍ ବ୍ରାଉନ୍ସୁଗାର ମିଳିଥିଲା।