ଭାରତୀୟମାନଙ୍କ ସ୍ବିସ୍ ବ୍ୟାଙ୍କ ତଥ୍ୟ ମିଳିଛି
ନୂଆଦିଲ୍ଲୀ : ଚତୁର୍ଥ ଥର ପାଇଁ ଭାରତୀୟମାନଙ୍କ ସ୍ବିସ୍ ବ୍ୟାଙ୍କ ତଥ୍ୟ ଭାରତକୁ ମିଳିଛି। ଭାରତ ଓ ସ୍ବିଜରଲ୍ୟାଣ୍ଡ୍ ମଧ୍ୟରେ ସ୍ବୟଂକ୍ରିୟ ବ୍ୟାଙ୍କ ତଥ୍ୟ ଆଦାନପ୍ରଦାନ ଚୁକ୍ତି ଆଧାରରେ ଏଥର ତାଲିକାରେ କିଛି ପ୍ରମୁଖ ବ୍ୟକ୍ତି, କର୍ପୋରେଟ୍ ସଂସ୍ଥା ଓ ଟ୍ରଷ୍ଟ୍ର ନାମ ରହିଛି। ଅଧିକାଂଶ ତଥ୍ୟ ବ୍ୟବସାୟୀମାନଙ୍କ ସମ୍ପର୍କିତ ରହିଛି। ସେମାନେ ପ୍ରବାସୀ ଭାରତୀୟ ହୋଇଥିବା ବେଳେ ଆମେରିକା, ବ୍ରିଟେନ, ଆଫ୍ରିକା ଓ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକରେ ବସବାସ କରୁଛନ୍ତି।
କେବଳ ଭାରତ ନୁହେଁ ୧୦୧ଟି ଦେଶକୁ ସ୍ବିସ୍ ବ୍ୟାଙ୍କ ତଥ୍ୟ ଦିଆଯାଇଛି। ପ୍ରାୟ ୩୪ ଲକ୍ଷ ଖାତା ସମ୍ପର୍କିତ ତଥ୍ୟକୁ ସ୍ବିଜରଲ୍ୟାଣ୍ଡ୍ ସରକାର ବିଭିନ୍ନ ଦେଶକୁ ପ୍ରଦାନ କରିଛନ୍ତି।ଚୁକ୍ତିରେ ରହିଥିବା ଗୋପନୀୟତା ସର୍ତ୍ତ ଯୋଗୁଁ ମିଳିଥିବା ତଥ୍ୟର ସମ୍ପୂର୍ଣ୍ଣ ବିବରଣୀ ଜାରି କରାଯାଇନାହିଁ। ବ୍ୟାଙ୍କ ତଥ୍ୟ ଆକାରରେ ଗ୍ରାହକଙ୍କ ଜମା ରାଶି, ପାଣ୍ଠି ହସ୍ତାନ୍ତର, ଗ୍ରାହକଙ୍କ ନାମ, ଠିକଣା, ବାସସ୍ଥାନ, ଟିକସ ପରିଚୟ ନମ୍ବର ଓ ଖାତା ନମ୍ବର ଆଦି ପ୍ରଦାନ କରାଯାଉଛି।
ସ୍ବୟଂକ୍ରିୟ ବ୍ୟବସ୍ଥାରେ ଭାରତ ଏହାର ପ୍ରଥମ ସ୍ବିସ୍ ବ୍ୟାଙ୍କ ତଥ୍ୟ ୨୦୧୯ ସେପ୍ଟେମ୍ବରରେ ପାଇଥିଲା। ସେହି ବର୍ଷ ୭୫ଟି ଦେଶକୁ ସ୍ବିସ୍ ବ୍ୟାଙ୍କ ତଥ୍ୟ ମିଳିଥିଲା। ଟିକସ ଠକେଇ ଓ ଅନ୍ୟାନ୍ୟ ଅସତ ଉପାୟରେ ଅର୍ଜନ କରାଯାଇଥିବା କଳାଧନକୁ ଲୁଚାଇ ରଖିବାରେ ସ୍ବିସ୍ ବ୍ୟାଙ୍କ ବିଶେଷ ସହାୟକ ହେଉଥିଲା। ସେହି ଦୃଷ୍ଟିରୁ ଭାରତକୁ ଯେଉଁ ତଥ୍ୟ ମିଳୁଛି ତାହା କଳାଧନ ମହଜୁଦକାରୀଙ୍କ ବିରୋଧରେ ସରକାର ଆରମ୍ଭ କରିଥିବା ଅଭିଯାନକୁ ଆହୁରି ଦୃଢ଼ ଓ ବ୍ୟାପକ କରିପାରିବ।
ଟିକସ ଠକେଇ ଓ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିଷୟରେ ଟିକସ କର୍ତ୍ତୃପକ୍ଷ କରିଥିବା ଅନୁରୋଧ ଆଧରରେ ସ୍ବିଜରଲ୍ୟାଣ୍ଡ୍ କର୍ତ୍ତୃପକ୍ଷ ଶତାଧିକ ଭାରତୀୟଙ୍କ ସ୍ବିସ୍ ବ୍ୟାଙ୍କ ତଥ୍ୟ ଦେଇସାରିଛନ୍ତି। ସ୍ବିଜରଲ୍ୟାଣ୍ଡ୍ କର୍ତ୍ତୃପକ୍ଷ ୭୪ଟି ଦେଶକୁ ସ୍ବିସ୍ ବ୍ୟାଙ୍କ ତଥ୍ୟ ଆପେ ଦେଇଛନ୍ତି। ରୁଷ୍ ସମେତ ଅନ୍ୟ ଯେଉଁ ୨୭ଟି ଦେଶ ତଥ୍ୟ ମାଗିଥିଲେ ସେମାନଙ୍କୁ ତାହା ଦିଆଯାଇନାହିଁ। ନୂଆ ଦେଶ ଭାବେ ଆଲବାନିଆ, ବ୍ରୁନେଇ, ନାଇଜେରିଆ, ପେରୁ ଓ ତୁର୍କୀକୁ ସ୍ବିସ୍ ବ୍ୟାଙ୍କ ତଥ୍ୟ ଦିଆଯାଇଛି।