ରାଷ୍ଟ୍ରପତିଙ୍କ ଗସ୍ତ ବ୍ୟବସ୍ଥାରେ ବିରାଟ ତୃଟି
ଭୁବନେଶ୍ୱର:(କାଞ୍ଚନଟିଭି/ବ୍ୟୁରୋ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ବାରିପଦାସ୍ଥିତ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ଦୀକ୍ଷାନ୍ତ ସମାରୋହରେ ଉଦ୍ବୋଧନ ଦେଉଥିବା ବେଳେ ୯ ମିନିଟ୍ ଧରି ବିଦୁ୍ୟତ୍ ବିଭ୍ରାଟ ଯୋଗୁଁ ସଭାସ୍ଥଳ ଅନ୍ଧାର ହୋଇଯାଇଥିଲା । ଏହି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ । ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୭ ଦିନ ଭିତରେ ରିପୋର୍ଟ ଦେବା ଲାଗି କୁହାଯାଇଛି ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଆରମ୍ଭ ହେବା ପରେ ପରେ ଅଡିଟୋରିୟମ୍ରେ ଅନ୍ଧାର ଘୋଟିଯାଇଥିଲା । ଇଡ୍କୋ ଦ୍ୱାରା ମରାମତି କରାଯାଇଥିବା ଜେନେରେଟର ମଧ୍ୟ କାମ କରି ନ ଥିଲା । ଅନ୍ଧାର ସତ୍ତ୍ୱେ ରାଷ୍ଟ୍ରପତି ଭାଷଣ ବନ୍ଦ କରି ନ ଥିଲେ । ୧୧ଟା ୫୬ରୁ ୧୨ଟା ୫ ପର୍ଯ୍ୟନ୍ତ ସେ ପୋଡିୟମ୍ର କ୍ଷୀଣ ଆଲୋକରେ ଭାଷଣ ଦେଇଚାଲିଥିଲେ । ରାଷ୍ଟ୍ରପତି ଅତ୍ୟନ୍ତ ଶାଳୀନ ଢଙ୍ଗରେ ତାଙ୍କ କ୍ଷୋଭ ପ୍ରକାଶ କରିଥିଲେ । ରାଷ୍ଟ୍ରପତି କହିଥିଲେ, ଏହି ବିଶ୍ୱବିଦ୍ୟାଳୟ ଯେତିକି ସୁନ୍ଦର, ସେତିକି ଅନ୍ଧାରରେ ରହିଛି ।
କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଏହି ଘଟଣା ପାଇଁ କ୍ଷମା ମାଗିଥିଲେ । ସେଦିନ ରାଷ୍ଟ୍ରପତିଙ୍କଠାରୁ ଡକ୍ଟରେଟ୍ ଗ୍ରହଣ କରିଥିବା ଶିକ୍ଷାବିତ୍ ପ୍ରଦୀପ କୁମାର ନନ୍ଦ ଏହି ଘଟଣାକୁ ନିନ୍ଦା କରି କହିଛନ୍ତି, ମୋ ଦୃଷ୍ଟିରେ ଏହା ରାଷ୍ଟ୍ରପତିଙ୍କୁ ଅପମାନ ।