ୟୁକ୍ରେନ ଉପରେ ମିସାଇଲ୍ ବର୍ଷା

ୟୁକ୍ରେନ ଉପରେ ମିସାଇଲ୍ ବର୍ଷା


କିବ୍: ଯୁଦ୍ଧର ୨୨୯ତମ ଦିନରେ ରୁଷୀୟ ବାହିନୀ ୟୁକ୍ରେନ୍ ରାଜଧାନୀ କିଭ୍ ସମେତ ୯ ସହର ଉପରେ କ୍ଷେପଣାସ୍ତ୍ର ବର୍ଷା କରିଛି । ରବିବାର ରାତିରୁ ସୋମବାର ସକାଳ ସୁଦ୍ଧା କିବ୍, ଲାବରୋବ, ଖାରକିବ ଆଦି ସହରର ଜନବସତି, ବିଦୁ୍ୟତ୍ କେନ୍ଦ୍ର, ଖେଳପଡ଼ିଆ, ପାର୍କ ପ୍ରଭୃତି ଉପରେ ୮୩ କ୍ଷେପଣାସ୍ତ୍ର ପଡ଼ିବା ଫଳରେ ଅତିକମ୍ରେ ୧୧ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୬୪ଜଣ ଆହତ ହୋଇଛନ୍ତି । ରୁଷ୍ ରାଷ୍ଟ୍ରପତି ବ୍ଲାଦିନିର ପୁତିନ୍ ସୋମବାର ରୁଷୀୟ ସୁରକ୍ଷା ପରିଷଦ ବୈଠକରେ ଚେତାବନୀ ଦେଇ କହିଛନ୍ତି, ଯଦି ୟୁକ୍ରେନ୍ ରୁଷ୍ର କୌଣସି ସହର ଓ ପରମାଣୁ କେନ୍ଦ୍ରକୁ ଟାର୍ଗେଟ୍ କରିବ, ପରିଣତି ଆହୁରି ଭୟାବହ ହେବ ।

ରୁଷ୍ ସହ କ୍ରିମିଆକୁ ସଂଯୋଗ କରୁଥିବା କର୍ଚ ବ୍ରିଜ୍କୁ ୟୁକ୍ରେନ୍ ଆଂଶିକ ଧ୍ୱଂସ କରିଦେବାର ୪୮ ଘଣ୍ଟା ପରେ ରୁଷ୍ ଏହାକୁ ଆତଙ୍କବାଦୀ କାର୍ଯ୍ୟ ଦର୍ଶାଇ ପ୍ରତିଶୋଧ ନେଇଛି । ସୋମବାର ଆକ୍ରମଣରେ ୟୁକ୍ରେନ୍ର ନାଇପର ନଦୀ ଉପରେ ଥିବା ପାରକୋବି ବ୍ରିଜ୍ ଧ୍ୱସ୍ତ ହୋଇଯାଇଛି । ଜେନେରାଲ ସେରଗେଇ ସୁରୋବିକିନଙ୍କୁ ୟୁକ୍ରେନ୍ ଯୁଦ୍ଧର ନେତୃତ୍ୱ ଦିଆଯିବା ପରଠାରୁ ଆକ୍ରମଣ ଆହୁରି ତେଜିଛି ।
ଆକ୍ରମଣର ଭୀଷଣତା ଦୃଷ୍ଟିରୁ ସମଗ୍ର ୟୁକ୍ରେନ୍ରେ ଫିଲ୍ଡ ୱାର୍କ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି ଆନ୍ତର୍ଜାତିକ ରେଡ୍କ୍ରସ୍ କମିଟି । କିଭ୍ରେ ସବୁ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟେରସ୍ ରୁଷିଆର ବ୍ୟାପକ ଏୟାର ଷ୍ଟ୍ରାଇକ୍କୁ ନିନ୍ଦା କରିବା ସହ କହିଛନ୍ତି, ଏଭଳି ଆକ୍ରମଣରେ ବେସାମରିକ ବ୍ୟକ୍ତିଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି ।


ରାଷ୍ଟ୍ରପତି ଜେଲେନ୍ସ୍କି ୟୁକ୍ରେନ୍ବାସୀଙ୍କୁ ଦମ୍ଭ ଧରି ରହିବା ପାଇଁ ଆହ୍ୱାନ ଦେବା ସହ ନିଜ ଟେଲିଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି ରୁଷ୍ ଆମକୁ ନଷ୍ଟ କରିବା ସହ ପୃଥିବୀରୁ ଆମ ଚିହ୍ନବର୍ଣ୍ଣ ଉଡ଼ାଇ ଦେବା ଉଦ୍ୟମ କରୁଛି । ରାଜଧାନୀ କିବ୍ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ପରେ ଜେନେନ୍ସ୍କି ଜି-୭ ରାଷ୍ଟ୍ରଗୋଷ୍ଠୀର ଶରଣ ପଶିଛନ୍ତି । ଏବେ ଜି-୭ର ଅଧ୍ୟକ୍ଷତା କରୁଛି ଜର୍ମାନୀ । ୟୁକେନ୍ ସ୍ଥିତି ଉପରେ ଜି-୭ ପକ୍ଷରୁ ମଙ୍ଗଳବାର ଏକ ଭିଡିଓ କନ୍ଫରେନ୍ସ କରାଯିବ ସେଥିରେ ଜେଲେନ୍ସ୍କି ମଧ୍ୟ ଭାଗ ନେବେ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!